ଚିତ୍ତରଞ୍ଜନ ଦାସ ସଂକଳନ

#

ଚିତ୍ତରଞ୍ଜନ ଦାସ (ଅକ୍ଟୋବର ୩, ୧୯୨୩ – ଜାନୁଆରି ୧୬, ୨୦୧୧) ସାରା ଓଡ଼ିଶାରେ ଚିତ୍ତଭାଇ ଭାବରେ ଜଣା। ଜଗତସିଂହପୁର ଜିଲ୍ଲା ବାଗଲପୁରରେ ତାଙ୍କର ଜନ୍ମ, ପିତା ଖୁସାଲି ଚରଣ ଓ ମା ହୀରାମଣି। ପାଞ୍ଚଭାଇ ଓ ତିନି ଭଉଣୀଙ୍କ ଭିତରେ ସେ ଥିଲେ ତୃତୀୟ। ଗାଁ ସ୍କୁଲରେ ଶିକ୍ଷା ସାରିବା ପରେ ସେ ପୁନଙ୍ଗ ସ୍କୁଲ, କଟକର ରାଣୀହାଟ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍‌ସା କଲେଜରେ ପଢ଼ିଥିଲେ। ଏହା ପରେ ସେ ଶାନ୍ତିନିକେତନ ଏବଂ ପରେ ଡେନମାର୍କରେ ବିଦ୍ୟା ଲାଭ କରିଥିଲେ। ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ କଟକ ଓ ବାଙ୍ଗାଲୋର ଜେଲରେ ଅଢ଼େଇବର୍ଷ ବନ୍ଦୀ ରହିଥିଲେ। ୧୯୫୪ ମସିହାରେ ସେ ଓଡ଼ିଶା ଫେରିଆସିଥିଲେ। ସେହି ବର୍ଷ ସେ ଶ୍ରୀମତୀ ମାଳତୀ ଚୌଧୁରୀ ଏବଂ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ଚମ୍ପତ୍ତିମୁଣ୍ଡାଠାରେ ପ୍ରତିଷ୍ଠିତ ଜୀବନ ବିଦ୍ୟାଳୟରେ ଶିକ୍ଷକତା କଲେ, ପରେ ସେ ଏହାର ପ୍ରଧାନ ଶିକ୍ଷକ ହୋଇଥିଲେ। ଏହା ଏକ ଅଲଗା ପ୍ରକାରର ସ୍କୁଲ ଥିଲା। ତାହା ଥିଲା ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାର ଏକ ପ୍ରୟୋଗଶାଳା। ଶିକ୍ଷାର୍ଥୀମାନଙ୍କୁ ସ୍ୱାଧୀନ ଭାବରେ ବଞ୍ଚିବା ଏବଂ ଜୀବନ ଗଢ଼ିବା ପାଇଁ ବାଟ ଦେଖାଇବାର ଚେଷ୍ଟା ଏଠାରେ କରାଯାଉଥିଲା। ସେଠାରେ ସେ ମାତ୍ର ଚାରିବର୍ଷ ରହିଥିଲେ। ଏହାପରେ ସେ ଆଗ୍ରା ଗଲେ ଓ ପରେ ୧୯୭୩ ମସିହାରେ ଭୁବନେଶ୍ୱରସ୍ଥ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କଲେ, କିନ୍ତୁ ସେଠାରେ ମଧ୍ୟ ସେ ଅଧିକ ସମୟ ରହି ନ ଥିଲେ। ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅବଦାନ ବହୁତ ରହିଛି। ତାଙ୍କ ପାଇଁ ସମଗ୍ର ପୃଥିବୀ ଘର, ସବୁ ମଣିଷଙ୍କର ଗୋଟିଏ ଭାଷା ଓ ଗୋଟିଏ ବିଚାର। ସେ ଅନେକ ଭାଷା ଜାଣିଥିଲେ – ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, କନ୍ନଡ଼, ଅହମୀୟା, ସଂସ୍କୃତ, ଡେନିସ୍, ଫିନିସ୍, ସ୍ପାନିସ୍, ଜର୍ମାନ, ଇଂରାଜୀ ଆଦି। ସେ ଦର୍ଶନ, ମନୋବିଜ୍ଞାନ, ମାନବବିଦ୍ୟା, ସମାଜବିଜ୍ଞାନ, ଧର୍ମଶାସ୍ତ୍ର, ତର୍କଶାସ୍ତ୍ର, ଭାଷା, ଗଣିତ, ଇତିହାସ, ଭୂଗୋଳ ଓ ସାହିତ୍ୟ ଆଦି ଅନେକ ବିଷୟରେ ଦକ୍ଷ ଥିଲେ। ଅନେକ ବିଷୟରେ ସେ ଦୁଇଶହରୁ ଅଧିକ ବହି ଲେଖିଛନ୍ତି ବା ଅନୁବାଦ କରିଛନ୍ତି। ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କର ରଚନା ସବୁର ଓଡ଼ିଆ ଅନୁବାଦ ତାଙ୍କର ଏକ ବିଶେଷ କୃତି। ଧରିତ୍ରୀ, ପ୍ରଗତିବାଦୀ, ସମ୍ବାଦ, ସମାଜ ଆଦି ସମ୍ବାଦପତ୍ରର ସେ ଜଣେ ନିୟମିତ ସ୍ତମ୍ଭକାର ଥିଲେ। ଏସବୁ ଭିତରୁ ଅନେକଗୁଡ଼ିଏ ଲେଖା ସଂକଳିତ ହୋଇ ବହି ଆକାରରେ ପ୍ରକାଶ ପାଇଛି। ତାଙ୍କର ପ୍ରଥମ ପ୍ରକାଶିତ ଲେଖା ଥିଲା ମହାତ୍ମା ସକ୍ରେଟିସ୍। ରେଭେନ୍‌ସା କଲିଜିଏଟ ସ୍କୁଲର ପତ୍ରିକା ଛାତ୍ରବନ୍ଧୁରେ ୧୯୩୭ ମସିହାରେ ଏହା ପ୍ରକାଶ ପାଇଥିଲା।